Thursday, January 4, 2024

ଶ୍ରୀଜଗନ୍ନାଥଙ୍କ ସହ ବିଭିନ୍ନ ରୂପରେ ଜନ୍ମ ନେଇଥିଲେ ମାଉସୀ ମା’

ବିଶ୍ୱ ମୈତ୍ରୀ ଓ ମାନବିକତାର ପ୍ରତୀକ ହେଉଛନ୍ତି ଶ୍ରୀଜଗନ୍ନାଥ । ଜଗନ୍ନାଥ ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିର ଯିବା ବାଟରେ ବଡଦାଣ୍ଡରେ ଦଇତାପଡା ସାହିର ପାଶ୍ୱର୍ରେ ବଳଗଣ୍ଡି ପୂର୍ବରୁ ପଡେ଼ ଅର୍ଦ୍ଧାଶନୀ ବା ମାଉସୀ ମା’ମନ୍ଦିର । କେଶରୀ ବଂଶର ରାଜାଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ଦେବୀ ଅର୍ଦ୍ଧାଶନୀ ହେଉଛନ୍ତି ଦେବୀ ସୁଭଦ୍ରାଙ୍କ ଅଙ୍ଗ ସମ୍ଭୁତା । ରଥ ଯାତ୍ରା ସମୟରେ ମାଉସୀମା ମନ୍ଦିର ସମସ୍ତଙ୍କ ପାଇଁ ବିଶେଷ ଆକର୍ଷଣ ଓ ଚଳଚ ଳ ହୋଇଥାଏ । ରଥଯାତ୍ରା ଦିନ ତିନି ରଥରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ସମୟରେ ମାଉସୀମା’ ମନ୍ଦିର ପାଖରେ ରଥ ଟିକିଏ ଅଟକି ଥାଏ । 



କାରଣ ମହାପ୍ରଭୁ ବଡ ବ୍ୟସ୍ତ ଥାଆନ୍ତି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ । କେବଳ ମାଉସୀମା’ ମା ଙ୍କ ନିମନ୍ତେ ରଥ କିଛି ସମୟ ଅଟକି ଥାଏ, କିନ୍ତୁ ବାହୁଡା ଯାତ୍ରା ଦିନ ଅର୍ଥାତ ଗୁଣ୍ଡିଚା ମନ୍ଦିରରୁ ନବଦିନ ଯାତ୍ରା ସାରି ଫେରିଲା ବେଳକୁ ମହାପ୍ରଭୁ ଭାଇ ଓ ଉଉଣୀଙ୍କ ସହିତ ମାଉସୀମା’ ମନ୍ଦିର ନିକଟରେ ରଥକୁ ଅଟକାଇଥାନ୍ତି । ସେଠାରେ ରୀତି ଅନୁସାରେ ମାଉସୀମା’ ମନ୍ଦିର ତରଫରୁ ମହାପ୍ରଭୁମାନଙ୍କୁ ପ୍ରିୟ ପୋଡପିଠା ନୈବେଦ୍ୟ କରାଯାଇଥାଏ । ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ପୋଡପିଠା ଅତିପ୍ରିୟ । ଏହା ଛେନା, ଅଟା, ଚାଉଳଚୁନା, ଘିଅ, ଖଣ୍ଡ ଲବଣୀ, ଦ୍ରାକ୍ଷା, ପେସ୍ତା, ବାଦାମ, କର୍ପୁର, ଦାରୁଚିନି, ଅଳେଇଚ, ଲବଙ୍ଗ ପ୍ରଭୁତି ମିଶ୍ରଣ ହୋଇ ମହାପ୍ରଭୁଙ୍କ ପାଇଁ ପୋଡପିଠା ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ମାଉସୀମା’ ଙ୍କର ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୋଡପିଟା ଭୋଗ ଲାଗେ । ପ୍ରଥା ଓ ପରମ୍ପରା ଅନୁଯାୟୀ ମହାପ୍ରଭୁ ମାଉସୀଙ୍କଠାରୁ ପୋଡପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ପୁରାଣପୃଷ୍ଠାରେ କଥାନୁଯାୟୀ, କୈକେୟୀଙ୍କ ଚରିତ୍ରକୁ ଏକ ଘୃନ୍ୟ ଓ କଦାଚାରର ରୂପ ଦିଆଯାଇଛି । ତ୍ରେତୟା ଯୁଗରେ ରାମଅବତାରରେ ପ୍ରଭୁ ରାମଚନ୍ଦ୍ର ବନବାସ ଯିବା ସମୟରେ ମାତା କୈକେୟୀଙ୍କୁ କହିଥିଲେ ଆପଣଙ୍କର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତର ରହିବ । ସେଥିପାଇଁ ମୋତେ ୧୪ ବର୍ଷ ନବବାସ ହେବ କିନ୍ତୁ ଜଗତ କଲ୍ୟାଣ ପାଇଁ ଏହା ମହତ ଉଦ୍ଦେଶ୍ୟ ।

ଏହାପରେ ଦ୍ୱାପର ଯୁଗରେ କୃଷ୍ଣ ଅବତାରରେ ମାତା ଯଶୋଦାଙ୍କ ରୂପରେ ଲାଳନପାଳନ କରିଲେ । ଦ୍ୱାପର ପରେ ପଦ୍ମକ୍ଷେତ୍ରରେ ଯେତେବେଳେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପରେ ପୂଜା ପାଇଲେ ସେତେବେଳେ ମାଉସୀମା’ ରୂପରେ ବଳଗଣ୍ଡିଠାରେ ଅବସ୍ଥାନ କଲେ ମା’ ଅର୍ଦ୍ଧାଶନୀ । ମା’ଙ୍କ ମହିମା ଅପାର । ପ୍ରଳୟ ଜଳରେ ସମସ୍ତ ସ୍ଥାନ ଜଳମଗ୍ନ ହେଲେ ବି ଶ୍ରୀକ୍ଷେତ୍ର ଏଥିରୁ ବାଦ୍‌ ପଡ଼ିଥାଏ । କାରଣ ସେହି ପ୍ରଳୟ ଜଳର ଅର୍ଦ୍ଧଭାଗ ଦେବୀ ଶୋଷଣ କରି ନିଅନ୍ତି । ତାଙ୍କୁ ଦର୍ଶନ ଓ ପ୍ରଣାମ କଲେ ଶାଶ୍ୱତ ଭୋଗ ପ୍ରାପ୍ତ ହୋଇଥାଏ ।

No comments:

Post a Comment