Friday, January 12, 2024

ଆଶା-ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ଲହରି; ଏଥର ଭଲ ବଢ଼ିପାରେ ଦରମା!



ଏଥର ଭଲ ବଢ଼ିପାରେ ଦରମା!

ଦରମା ବୃଦ୍ଧି ନେଇ ସଙ୍କେତ ପରେ ଖୁସିର ଲହରି…ଏଥର ଭଲ ଦରମା ବଢିବା ନେଇ ଆଶା ବାନ୍ଧିଛନ୍ତି ଆଶା-ଅଙ୍ଗନବାଡ଼ି କର୍ମୀ ।

ଭୁବନେଶ୍ୱର: ଦରମା ବୃଦ୍ଧି ନେଇ ସଙ୍କେତ ପରେ ଆଶା-ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ଲହରି… କହିଲେ, ଏତେ କମ୍ ଟଙ୍କାରେ ପରିବାର ଚଳାଇବା ଥିଲା କଷ୍ଟକର…ଏଥର ଭଲ ବଢ଼ିପାରେ ଦରମା, ସରକାରଙ୍କୁ ଦେଲେ ଧନ୍ୟବାଦ….ସେପଟେ ଭତ୍ତା ଅତି କମରେ ୨ ହଜାର କରିବାକୁ ଦାବି…

ନୂଆବର୍ଷରେ ଆଶା, ଅଙ୍ଗନବାଡ଼ି ଦିଦିଙ୍କ ଦରମା ବୃଦ୍ଧି ନେଇ ରାଜ୍ୟ ସରକାର ସଙ୍କେତ ଦେବା ପରେ ଆଶା-ଅଙ୍ଗନବାଡ଼ି କର୍ମଚାରୀଙ୍କ ଭିତରେ ଖୁସି ଖେଳିଯାଇଛି । ଆଶା କରାଯାଉଛି, ଏମାନଙ୍କର ଦରମାରେ ଭଲ ଅଭିବୃଦ୍ଧି କରିପାରନ୍ତି ସରକାର । କିନ୍ତୁ କେତେ ବୃଦ୍ଧି ହେବ, ସେ ନେଇ କୌଣସି ସୂଚନା ଆସିନାହିଁ । ସେହିପରି ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ମାସିକ ଯେଉଁ ବିଧବା, ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି, ତାହା ଅତି କମ୍‌ରେ ୨ ହଜାର ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।


ବଢ଼ିବ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଦରମା । ସରକାରଙ୍କ ପକ୍ଷରୁ ଏ ନେଇ ସଙ୍କେତ ଆସିବା ପରେ ଆଶା-ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଖୁସି । ଅଙ୍ଗନବାଡ଼ି କର୍ମୀମାନେ ସ୍କୁଲରେ ପାଠ ପଢ଼ାଇବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟର ସଚେତନତା ସୃଷ୍ଟି ଓ ଉନ୍ନୟନ ଯୋଜନା କାର୍ଯ୍ୟାନ୍ବୟନରେ ସାମିଲ ହେଉଛନ୍ତି । ଗର୍ଭବତୀ ମହିଳାଙ୍କ ତାଲିକା ପ୍ରସ୍ତୁତି ସହ ଆଧାର କାର୍ଡ, ଭୋଟର ଲିଷ୍ଟ ପ୍ରସ୍ତୁତିରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । କିନ୍ତୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାସକୁ ଦରମା ମିଳୁଛି ମାତ୍ର ୭ ହଜାର ୫୦୦ ଟଙ୍କା। ଏତିକି ଦରମାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଏଥର ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ଘୋଷଣା ପରେ ସେମାନଙ୍କ ଦମାରେ ଭଲ ବୃଦ୍ଧି ହୋଇପାରେ ବୋଲି ଅଙ୍ଗନବାଡ଼ି କର୍ମୀମାନେ ଆଶା ରଖିଛନ୍ତି । ସେହିଭଳି ଆଶା କର୍ମୀମାନେ ଗାଁଗଣ୍ଡାରେ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ତୁଲାଇବା ସହ ଟିକାକରଣ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେମାନଙ୍କ ଅଭିଯୋଗ ଯେ କାମ ଅନୁସାରେ ବେତନ ମିଳୁନାହିଁ । ଦିନେ କାର୍ଯ୍ୟ ନ କଲେ ପାରିଶ୍ରମିକ ନାହିଁ । ତେଣୁ ସେମାନଙ୍କୁ ମାସିକ ବେତନ ଦେବା ପାଇଁ ଦାବି କରିଛନ୍ତି ଆଶା କର୍ମୀ।…

ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଛି ମାସିକ ସାଢେ ୭ ହଜାର ଟଙ୍କା । ଆଶା ଦିଦିଙ୍କ ଦରମା ୫ ହଜାର ବି ଛୁଉଁନି । ୪ ହଜାର ୮୫୦ ଟଙ୍କା । ଏତେ କମ୍ ଦରମାରେ ଘର ପରିବାର ଚଳାଇବା କଷ୍ଟକର । ତେଣୁ ଦରମା ବୃଦ୍ଧି ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି ଆଶା ଓ ଅଙ୍ଗନବାଡ଼ି ଦିଦି । ରାଜଧାନୀ ଭୁବନେଶ୍ବରରେ ପ୍ରତିବର୍ଷ କରୁଛନ୍ତି ଆନ୍ଦୋଳନ । ତଥାପି ରାଜ୍ୟ ସରକାର ଦରମା ବୃଦ୍ଧି କରିନାହାନ୍ତି । ଏବେ ୫ଟି ଅଧ୍ୟକ୍ଷ ସେମାନଙ୍କ ଦରମା ବୃଦ୍ଧି ନେଇ ସୂଚନା ଦେବା ପରେ ସେମାନେ ବେଶ୍ ଆଶାବାଦୀ ଅଛନ୍ତି ।


କେବଳ ଆଶା-ଅଙ୍ଗନବାଡ଼ି ଦିଦିଙ୍କ ଦରମା ନୁହେଁ, ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ମଧ୍ୟ ବଢ଼ିବା ନେଇ ସୂଚନା ମିଳିଛି । ବରିଷ୍ଠ ସାମ୍ବାଦିକଙ୍କ ମତରେ, ଅନ୍ୟାନ୍ୟ ରାଜ୍ୟରେ ଏସବୁ ମାସିକ ଭତ୍ତା ଦୁଇ ହଜାର ଟଙ୍କା ଛୁଇଁଲାଣି । ବର୍ତ୍ତମାନ ସମୟରେ ସବୁ ଜିନିଷର ଦର ବଢୁଛି । ତେଣୁ ରାଜ୍ୟ ସରକାର ମଧ୍ୟ ଭତ୍ତାକୁ ସର୍ବନିମ୍ନ ଦୁଇ ହଜାର ଟଙ୍କା କରିବା ଦରକାର । ଏହାଦ୍ବାରା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିପାରିବ ବୋଲି ସେ କହିଛନ୍ତି ।ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି 5ଟି ଅଧ୍ୟକ୍ଷ ଯାହା କୁହନ୍ତି ତାହା କରନ୍ତି।

ବଢ଼ିବ ଦିଦିଙ୍କ ଦରମା, ମାସିକ ଭତ୍ତା ମଧ୍ୟ ବୃଦ୍ଧି କରିବେ ରାଜ୍ୟ ସରକାର । କିନ୍ତୁ କେବେ ବଢ଼ିବ ଓ କେତେ ବଢ଼ିବ, ତାକୁ ନେଇ କୌଣସି ସୂଚନା ମିଳିନାହିଁ ।


Source: News18

No comments:

Post a Comment